ବଜରଙ୍ଗ ଦଳ ଭଣ୍ଡାରୀପୋଖରୀ ପ୍ରଖଣ୍ଡର କୋରିଗାଁ ଶାଖା ଆନୁକୂଲ୍ୟରେ ରକ୍ତ ଦାନ ଶିବିର
ଭଣ୍ଡାରୀପୋଖରୀ, ୨୩/୯ – ବଜରଙ୍ଗ ଦଳ ଭଣ୍ଡାରୀପୋଖରୀ ପ୍ରଖଣ୍ଡର କୋରିଗାଁ ଶାଖା ଆନୁକୂଲ୍ୟରେ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ପରିସରରେ ଏକ ରକ୍ତ ଦାନ ଶିବିର ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି.
ଏଥିରେ ୨୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି. ସାଧୁ ବାବା ସନ୍ତୋଷ ଦାସ, ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲା କର୍ମକର୍ତ୍ତା ରଥ କିଶୋର ସାମଲ, ଚନ୍ଦ୍ର ଶେଖର ରାଉତ, ଶିଶୁ ମନ୍ଦିରର କାର୍ଯ୍ୟକର୍ତ୍ତା ମହେଶ୍ୱର ନାୟକ, ବଜରଙ୍ଗ ଦଳର ପ୍ରକାଶ ନାୟକ, ହିମାଂଶୁ ବେହେରା, ସିଲୁ ଦାସ, ଗୌରା ବାରିକ, କହେଇ ସୂତାର, ଦାନା ସାହୁ, ହୁବୁ ଆଇତ, ଶିବୁ ଦାସ, ମିଳନ ଦାସ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହିତ ଏହାକୁ ପରିଚାଳନା କରିଥିଲେ. ଭଦ୍ରକ ରକ୍ତଭଣ୍ଡାର କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ
ହୋଟେଲରେ ଗୋମାଂସ ତରକାରି ନେଇ ଉତ୍ତେଜନା
ଜଗତପୁର, ୨୩/୯: ଜଗତପୁରସ୍ଥିତ ଏକ ହୋଟେଲରେ ମଟନ୍ ମିଲ ରେ ଗୋମାଂସ ମିଶାଇ ଖାଇବାକୁ ଦିଆଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା। ଖବର ପାଇ ଜଗତପୁର ଥାନାଧିକାରୀ ପ୍ରଶାନ୍ତ କୁମାର ସାସମଲ ଓ ଏସିପି ଅରୁଣ କୁମାର ସ୍ୱାଇଁ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଜନତାଙ୍କୁ ବୁଝାସୁଝା କରି ସନ୍ଦେହ ସୃଷ୍ଟି କରିଥିବା ମଟନ୍କୁ ଜବତ କରିଛନ୍ତି।
ଅଭିଯୋଗ ଅନୁସାରେ ସାଲେପୁର ବ୍ଲକ ଅନ୍ତର୍ଗତ ପାଟପୁରର ସ୍ମୃତିରଞ୍ଜନ ମହାନ୍ତି, ସ୍ତ୍ରୀ ଓ ପିଲାକୁ ଧରି ଉକ୍ତ ହୋଟେଲକୁ ଖାଇବାକୁ ଯାଇଥିଲେ। ମଟନ୍ ତରକାରିରେ ଏକ ବଡ଼ ହାଡ଼ ଦେଖିବାକୁ ପାଇଥିଲେ। ହାଡ଼ଟି ଏକ ଲାଲ ରଙ୍ଗର ଥିଲା। ତେଣୁ ଏହା ମଟନ୍ ବା ଛେଳି ମାଂସ ହୋଇନଥିବା ସେ ସନ୍ଦେହ କରିଥିଲେ। ତେଣୁ ସେ ସଙ୍ଗେ ସଙ୍ଗେ ହୋଟେଲ କର୍ମଚାରୀଙ୍କୁ ଏନେଇ ପଚାରିବା ସହ ହାଡ଼ଟିକୁ ଦେଖାଇଥିଲେ। ତାଙ୍କ ଅଭିଯୋଗ ଶୁଣି ନିକଟ ଟେବୁଲରେ ଖାଉଥିବା ଅନ୍ୟ ୩ ଜଣ ମଧ୍ୟ ଅନୁରୂପ ଅଭିଯୋଗ କରିଥିଲେ। ଏହାପରେ କାଉଣ୍ଟରରେ ବସିଥିବା ବ୍ୟକ୍ତି ସେମାନଙ୍କୁ ପାଟି ନ କରିବାକୁ କହିବା ସହ ଆଉ ଏକ ମଟନ୍ ପ୍ଲେଟ୍ ଦେବାରୁ ତାଙ୍କର ସନ୍ଦେହ ବଢ଼ିଥିଲା। ଘଟଣା ସମ୍ପର୍କରେ ହୋଟେଲ କର୍ମଚାରୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। କେନ୍ଦ୍ରାପଡ଼ା ରାଜକନିକାର ରଞ୍ଜନ ମଲ୍ଲିକ ଓ ଓଲାବରର ରାଜେଶ ମଲ୍ଲିକ ମଧ୍ୟ ସମାନ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ସ୍ମୃତିରଞ୍ଜନ ଥାନାରେ ଅଭିଯୋଗ କରିଛନ୍ତି।
ଖବର ପାଇ ବଜରଙ୍ଗ ଦଳ କର୍ମୀ ସେଠାରେ ପହଞ୍ଚି ପ୍ରତିବାଦ କରିଥିଲେ। ପୁଲିସ ବୁଝାସୁଝା କରି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ପୁଲିସ ହାଡ଼ ଜବତ କରି ପରୀକ୍ଷା ପାଇଁ ପଠାଇଛି। ଏନେଇ ଏକ ମାମଲା ରୁଜୁ ହୋଇଛି ଏବଂ ଯଦି ପରୀକ୍ଷାରେ ଗୋମାଂସ ପ୍ରମାଣିତ ହୁଏ; ତେବେ ଉକ୍ତ ହୋଟେଲ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସିପି ଶ୍ରୀ ସ୍ୱାଇଁ କହିଛନ୍ତି। ଅପରପକ୍ଷେ ଅଭିଯୋଗକାରୀ ଓ ବଜରଙ୍ଗ ଦଳ କର୍ମୀ ଏହି ସମ୍ବେଦନଶୀଳ ମାମଲାକୁ ଅତି ଗୁରୁତ୍ୱ ସହ ନେବାକୁ ଦାବି କରିଛନ୍ତି। ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଉକ୍ତ ହୋଟେଲ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।
Comments
Post a Comment