ସେବା ସଙ୍ଗମ-୨୦୧୯ ଉଦ୍ ଘାଟିତ



 ଭୁବନେଶ୍ୱର,୨୩/୧୧: ସେବା ଭାରତୀ, ଓଡିଶା ପଶ୍ଚିମ,ଓଡିଶା ପୂର୍ବ ଓ ଉକ୍ରଳ ବିପନ୍ନ ସହାୟତା ସମିତି ଦ୍ୱାରା  ଦୁଇ ଦ୍ୱିବସୀୟ ସେବା ସଙ୍ଗମ-୨୦୧୯ ରାଉରକେଲା ସ୍ଥିତ ଭଞ୍ଜଭବନ ଠାରେ ଉଦ୍ଘାଟିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱାମୀ ଜୀବନମୁକ୍ତା ନନ୍ଦ ପୁରୀ, ସ୍ୱାମୀ ବ୍ରହ୍ମ ସାକ୍ଷାତକାର ନନ୍ଦ,ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସହସେବା ପ୍ରମୁଖ ଶ୍ରୀ ରାଜକୁମାର ମଟାଲେ, ବିଶିଷ୍ଟ ସମାଜସେବୀ ଶ୍ରୀ ଅଶୋକ ଜଲାନ, ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁନୀଲପଦ ଗୋସ୍ୱାମୀ,କ୍ଷେତ୍ରକାର୍ଯ୍ୟବାହ ଶ୍ରୀ ଗୋପାଳ ପ୍ରସାଦ ମହାପାତ୍ର,ସହକ୍ଷେତ୍ର ପ୍ରଚାରକ ଶ୍ରୀ ରମାପଦ ପାଲ, ପ୍ରାନ୍ତ ସଂଘଚାଳକ ଶ୍ରୀ ବିପିନ ବିହାରୀ ନନ୍ଦ, ସହ ପ୍ରାନ୍ତ ସଂଘଚାଳକ ଡ. ବିଦ୍ୟାଧର ରଣା,ୟୁବିଏସ୍ଏସ୍ର ସଭାପତି ଇଂ ଅଭୟ ସାମନ୍ତରାୟ, ରାଷ୍ଟ୍ରୀୟ ସେବାଭାରତୀର ସୁଶ୍ରୀ ରମା ପୋପଲି, ସୁନ୍ଦର ଲକ୍ଷ୍ମଣ, ଗୁରୁ ଶରଣ ପ୍ରସାଦ ପ୍ରମୁଖ ମଂଚାସୀନ ଥିଲେ । ଏହି ସେବା ସଙ୍ଗମ  କାର୍ଯ୍ୟକ୍ରମରେ ସାରା ଓଡିଶାରୁ ୯୫ଟି ସ୍ୱେଚ୍ଛାସେବୀ ସଂଗଠନ, ବ୍ୟକ୍ତି ବିଶେଷମାନଙ୍କ ଦ୍ୱାରା କରାଯାଉଥିବା ସେବା କାର୍ଯ୍ୟର ପ୍ରଦର୍ଶନୀ ଫଟୋ ଓ ଚଳଚ୍ଚିତ୍ର ମାଧ୍ୟମରେ ୧୧୧ଟି ଷ୍ଟଲରେ ପ୍ରଦର୍ଶିତ ହେଉଅଛି । ଏଥିରେ ୧୦୦୦ ପ୍ରତିନିଧି ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ପ୍ରାନ୍ତ ସେବା ପ୍ରମୁଖ ଦୀପକ ରାଉତ ସଂଯୋଜନା କରିଥିବା ବେଳେ ଦେବ୍ୟାନ ସରକାର ଧନ୍ୟବାଦ ଅର୍ପଣ କରିଥିଲେ  । ପ୍ରଥମେ  ଅତିଥିମାନଙ୍କ ଦ୍ୱାରା ପ୍ରଦର୍ଶନୀ ଷ୍ଟଲ ଉଦ୍ଘାଟନ ହେବା ପରେ ସେବା ସଂଗମ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଥିଲା ବୋଲି କ୍ଷେତ୍ର ସେବାପ୍ରମୁଖ ଶ୍ରୀ ଜଗଦୀଶ ପ୍ରସାଦ ଖାଡଙ୍ଗା ପ୍ରକାଶ କରିଛନ୍ତି ।

  ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସ୍ୱାମୀ ବ୍ରହ୍ମ ସାକ୍ଷାତକାର ନନ୍ଦ ଆଶ୍ରୀବଚନ ପ୍ରଦାନ କରି କହିଲେ ଯେ, ଯେଉଁମାନେ ଭକ୍ତି, ଜ୍ଞାନ, ବୈରାଗ୍ୟ  ସବୁ କିଛି ସମର୍ପିତ କରି ଆଜି ସେବା କରୁଛନ୍ତି ସେମାନେ ହେଉଛନ୍ତି ଭାରତର ଜାଗ୍ରତ ପ୍ରହରୀ । ସେମାନେ ସାରା ବିଶ୍ୱକୁ ଗୋଟିଏ ପରିବାର ବୋଲି ଭାବୁଛନ୍ତି । ଭାରତ ବର୍ଷର ମୁନି,ଋଷି ଓ ମହାପୁରଷମାନଙ୍କର ଏହା ହେଉଛି ବିଚାର । ଗଛ, ଲତା,କୀଟ, ପତଙ୍ଗ ଯେପରି ଅନବରତ ସେବା କରିଚାଲିଛନ୍ତି ସେମାନେ କେବେ ନିଜର ପ୍ରଚାର କରିନାହାଁନ୍ତି । ସଂଘର ଲକ୍ଷଲକ୍ଷ ସ୍ୱୟଂସେବକମାନେ ସେବାକାମରେ ଲାଗିଥିଲେ ମଧ୍ୟ  ପ୍ରଚାର ଠାରୁ ବହୁ ଦୁରରେ ବୋଲି ସ୍ୱାମୀଜୀ ପ୍ରକାଶ କରିଥିଲେ ।

ଅନ୍ୟତମ ଅତିଥି ବିଶିଷ୍ଟ ସମାଜସେବୀ ଶ୍ରୀ ଅଶୋକ ଜଲ୍ଲାନ କହିଲେ ଯେ, ସବୁ ନକରାତ୍ମକ ବିଚାକକୁ ଛାଡି ସକାରାତ୍ମକ ନଜର ରଖିବା ହେଉଛି ସବୁ ଠାରୁ ବଡ ସେବାକାମ । ତନ ମନ ଓ ଧନ ଦେଇ ସେବା କରିବା ହେଉଛି ଆମର ଲକ୍ଷ୍ୟ ।
ମୁଖ୍ୟବକ୍ତା ରୂପେ ଯୋଗଦେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସହସେବା ପ୍ରମୁଖ ଶ୍ରୀ ରାଜକୁମାର ମଟାଲେ କହିଲେ  ଯେ,ସେବାମାଧ୍ୟମରେ ସମାଜରେ ପରିବର୍ତ୍ତନ ହୋଇ ପାରିବ । କେବଳ ଦାନ କଲେ ଚଳିବ ନାହିଁ । ଦାନ ନେଲା ବାଲା ଭବିଷ୍ୟତରେ କିପରି ଦାନ ନନେବ ସେପରି ବ୍ୟବସ୍ଥା କରିବା ଦରକାର । ପରିବାରରେ ଯେପରି କାମ କରୁଛୁ ସେହି ପରି ଆତ୍ମୀୟତା, ସ୍ନେହ ପ୍ରେମ ଭାବରେ ସମାଜରେ କାମ କରିବା ହିଁ ହେଉଛି ପ୍ରକୃତ ସେବା । ସେବା କରୁଥିବା ବ୍ୟକ୍ତି ମନରେ ଦାତାର ଭାବ ନଆସୁ ଏହାକୁ ନିଜ କର୍ତ୍ତବ୍ୟ ବୋଲି ଭାବନ୍ତୁ । ସେବା ବଦଳରେ କିଛି ପାଇବାର ଆଶା ନରଖିବା ଉଚିତ । ଏହି ବିଚାର ନେଇ ସଂଘ ଏବଂ ସଂଘ ବିଚାର ସଂଗଠନ ତରଫରୁ ସାରା ଦେଶରେ ୧ଲକ୍ଷ ୩୨ ହଜାର ସେବା କାମ ଚାଲୁଅଛି ବୋଲି ଶ୍ରୀ ମଟାଲେ ପ୍ରକାଶ କରିଥିଲେ ।

Comments